କାହିଁକି ମା’ର ଯତ୍ନ ନେଉ ନ ଥିଲେ ରାନୁ ମଣ୍ଡଳଙ୍କ ଝିଅ ?

0
11


ନୂଆଦିଲ୍ଲୀ: କୋଲକାତାର ରନାଘାଟ୍‌ ରେଲୱେ ଷ୍ଟେସନ୍‌ରେ ଗୀତ ଗାଇ ରାତାରାତି ସେଲେବ୍ରିଟି ହୋଇଯାଇଥିବା ରାନୁ ମଣ୍ଡଳଙ୍କର ଜଣେ ଝିଅ ଅଛନ୍ତି। ତାଙ୍କ ନାଁ ଏଲିଜାବେଥ୍‌ ସାଥୀ ରୟ,  ଯାହାଙ୍କୁ ସୋଶାଲ୍ ମିଡିଆରେ ଭାରି ନିନ୍ଦା କରାଯାଉଛି। ସେ କାହିଁକି ତାଙ୍କ ମା’ଙ୍କର ଯତ୍ନ ନେଉ ନଥିଲେ ଓ ଏମିତି ରେଳ ଷ୍ଟେସନ୍‌ରେ ଭିକ ମାଗିବାକୁ ଛାଡ଼ି ଦେଇଥିଲେ ବୋଲି ପ୍ରଶ୍ନ କରି ଲୋକେ ତାଙ୍କୁ ବହୁତ ସମାଲୋଚନା କରୁଛନ୍ତି। ତେବେ ଏନେଇ ସେ ମୁହଁ ଖୋଲିଛନ୍ତି।

ଆଇଏଏନ୍‌ଏସ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଏଲିଜାବେଥ୍‌ କହିଛନ୍ତି, ‘ଲୋକ ମୋତେ ଦୋଷୀ ବୋଲି କହୁଛନ୍ତି। ଏପରିକି ମୋ ବିରୋଧରେ ସୋଶାଲ ମିଡିଆରେ ଏଣୁତେଣୁ ଲେଖୁଛନ୍ତି। ମୁଁ କାହା ପାଖକୁ ଯିବି।’

‘ଜଣେ ସିଙ୍ଗଲ୍‌ ମଦର୍‌ ଭାବରେ ମୁଁ ଗୋଟିଏ ଗ୍ରୋସୋରୀ ଦୋକାନ ଚଳାଉଛି। ମୋ ସହିତ ରହିବା ପାଇଁ ମା’ଙ୍କୁ ମୁଁ ବହୁତ ଥର କହିଛି, କିନ୍ତୁ ସେ ମନା କରି ଦେଇଛନ୍ତି।’

ମୋତେ ଜଣାନଥିଲା ଯେ ମା’ ରେଲୱେ ଷ୍ଟେସନରେ ଗୀତ ଗାଇ ପେଟ ପୋଷୁଛନ୍ତି। ନିୟମିତ ଭାବରେ ମୁଁ ମା’ଙ୍କ ପାଖକୁ ଯାଉନଥିଲି। ମୋର ସ୍ୱାମୀ ମୋତେ ଛାଡ଼ପତ୍ର ଦେବା ପରେ ଛୋଟ ପୁଅର ମୁଁ ଏକାକୀ ଦେଖାଶୁଣା କରୁଛି। ଯେତିକି ପାରିଛି, ମୁଁ ମୋ ମା’ଙ୍କର ଯତ୍ନ ନେଇଛି। ଏପରିକି ମୁଁ ନିଜେ ବଞ୍ଚିବା ପାଇଁ ସଂଘର୍ଷ କରୁଛି ବୋଲି ସେ କହିଛନ୍ତି।

ଏଲିଜାବେଥ୍‌ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ରାନୁଙ୍କ ପ୍ରଥମ ସ୍ୱାମୀର ଝିଅ। ମୋର ମା’ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କ ସ୍ୱାମୀ ଏବେ ବି ଜୀବିତ ଅଛନ୍ତି। ତାଙ୍କର ଦୁଇଟି ପିଲା ମଧ୍ୟ ରହିଛନ୍ତି। ମୋ ବାପାଙ୍କର କିଛି ବର୍ଷ ପୂର୍ବେ ଦେହାନ୍ତ ହୋଇଛି। ମା’ଙ୍କ ଦ୍ୱିତୀୟ ସ୍ୱାମୀଙ୍କ ପିଲା ବର୍ତ୍ତମାନ ମୁମ୍ୱାଇରେ ରହୁଛନ୍ତି। ସେମାନେ କାହିଁକି ମାଙ୍କର ଦାୟିତ୍ୱ ନେଉନାହାନ୍ତି ? ମା’ଙ୍କର ଏହି ଅବସ୍ଥା ପାଇଁ ତାଙ୍କୁ କାହିଁକି ଦୋଷ ଦିଆଯାଉନାହିଁ ? ମୁଁ ଚାହୁଁଛି ଯେ ସେମାନେ ସାମ୍ନାକୁ ଆସନ୍ତୁ ଏବଂ ମୋ ସହିତ ମା’ଙ୍କର ଦେଖାଶୁଣା କରନ୍ତୁ।’

‘ବିବାହ ପରେ ମୁଁ କୋଲକାତାରୁ ମୁମ୍ୱାଇ ଚାଲି ଯାଇଥିଲି ଏବଂ ମା’ଙ୍କ ସହିତ ଅଧିକ ସମ୍ପର୍କ ରଖିପାରିନଥିଲି। ଏହା ପରେ ମଧ୍ୟ ମୁଁ ଯଥାସମ୍ଭବ ମା’ଙ୍କର ଯତ୍ନ ନେଇଛି। ଲୋକେ ମୋତେ ଦୋଷ ଦେଲେ ମଧ୍ୟ ମୁଁ ମୋ ମା’ଙ୍କୁ ସମର୍ଥନ କରିବି। ମୋ ସହିତ ରହିବା ପାଇଁ ମୁଁ ମା’ଙ୍କୁ ଅନୁରୋଧ କରିବି, କିନ୍ତୁ ତାଙ୍କୁ ବାଧ୍ୟ କରିପାରିବି ନାହିଁ। ଈଶ୍ୱର ଦେଇଥିବା କଣ୍ଠସ୍ୱର ପାଇଁ ତାଙ୍କୁ ଜୀବନରେ ଆଜି ପରିଚୟ ମିଳିପାରିଛି। ତେଣୁ ମୁଁ ତାଙ୍କର ଝିଅ ଭାବରେ ଗର୍ବ ଅନୁଭବ କରୁଛି।’

LEAVE A REPLY

Please enter your comment!
Please enter your name here